PM to interact with students, teachers and parents at “Pariksha Pe Charcha 2020” |

ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ –ଏସପିଜି (ସଂଶୋଧନ) ବିଲ, ୨୦୧୯ ଗୃହୀତ

December 04, 2019, National (ଜାତୀୟ) , , DSLR News Bureau


ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ –ଏସପିଜି (ସଂଶୋଧନ) ବିଲ, ୨୦୧୯ ଗୃହୀତ
DSLR News Bureau
December 04, 2019


• କୌଣସି ପରିବାର ନୁହେଁ ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାଏ
• ୧୩୦ କୋଟି ଭାରତୀୟଙ୍କ ସୁରକ୍ଷା ଦାୟିତ୍ୱ ସରକାରଙ୍କର : କେନ୍ଦ୍ର ଗୃହ ମନ୍ତ୍ରୀ
• ପୂର୍ବରୁ କେବଳ ଗୋଟିଏ ପରିବାର ଉପରେ ଗୁରୁତ୍ୱ ଦିଆଯାଇ ଏସପିଜି ଆଇନରେ ୪ଟି ସଂଶୋଧନ କରାଯାଇଛି : ଶ୍ରୀ ଅମିତ ଶାହ
• ଗାନ୍ଧୀ ପରିବାରର ସୁରକ୍ଷା ପ୍ରତ୍ୟାହାର କରାଯାଇନାହିଁ, ବରଂ ପରିବର୍ତ୍ତନ କରାଯାଇଛି; ସିଆରପିଏଫ ଜେଡ ପ୍ଲସ ସୁରକ୍ଷା ସହ ଏଏସଏଲ ଓ ଆମ୍ବୁଲାନ୍ସ ବ୍ୟବସ୍ଥା ପୂର୍ବ ପରି ରହିଛି
• ଗଣତନ୍ତ୍ରରେ ଆଇନ ଆଖିରେ ପ୍ରତ୍ୟେକ ନାଗରିକ ସମାନ : ଶ୍ରୀ ଅମିତ ଶାହ
• ପ୍ରିୟଙ୍କା ଗାନ୍ଧୀଙ୍କ ଆବାସରେ ସୁରକ୍ଷା ଭଙ୍ଗ କରିଥିବା ଆଗନ୍ତୁକ କଂଗ୍ରେସ କର୍ମୀ
• ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଛି :କେନ୍ଦ୍ର ଗୃହ ମନ୍ତ୍ରୀ


ନୂଆଦିଲ୍ଲୀ, ୦୪/୧୨ ; ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ-ଏସପିଜି (ସଂଶୋଧନ) ବିଲ, ୨୦୧୯ ଅନୁମୋଦନ ଲାଭ କରିଛି । ଏହି ବିଲ ସମ୍ପର୍କରେ ହୋଇଥିବା ବିତର୍କରେ ଉତ୍ତର ରଖି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ମୂଳ ଆଇନର ଉଦ୍ଦେଶ୍ୟ ଅନୁଯାୟୀ, ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରୁଛି । କାରଣ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ । ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ସୁରକ୍ଷା ବ୍ୟବସ୍ଥା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ଆବାସକୁ ସୁରକ୍ଷା ଦେଇଥାଏ । ଏହା ସମ୍ମାନର ପ୍ରତୀକ ହେବା ଉଚିତ ନୁହେଁ ଏବଂ ଏହି ବ୍ୟବସ୍ଥାରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପରିବାରକୁ ସୁରକ୍ଷା ଦେବା ଲାଗି ସ୍ୱତନ୍ତ୍ର ସୁରକ୍ଷାବାହିନୀକୁ ନିୟୋଜିତ କରାଯିବା ଉଚିତ ନୁହେଁ । ଶ୍ରୀ ଶାହ ଆହୁରି କହିଥିଲେ ଯେ ୧୩୦ କୋଟି ଭାରତବାସୀଙ୍କ ସୁରକ୍ଷା ଦାୟିତ୍ୱ ଭାରତ ସରକାରଙ୍କର ଏବଂ ଏମାନଙ୍କ ମଧ୍ୟରେ ସମ୍ପୃକ୍ତ ପରିବାର ମଧ୍ୟ ଆସୁଛନ୍ତି ।


ଗୃହ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସାଧାରଣରେ ଏପରି ଏକ ଧାରଣା ସୃଷ୍ଟି କରାଯାଉଛି ଯେ କେବଳ ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବା ଉଦ୍ଦେଶ୍ୟରେ ଏସପିଜି ଆଇନରେ ସଂଶୋଧନ କରାଯାଉଛି । ମାତ୍ର ଏହା ସତ୍ୟ ନୁହେଁ । ଗାନ୍ଧୀ ପରିବାର ସୁରକ୍ଷା ସ୍ତର ପ୍ରତ୍ୟାହାର କରାଯାଉନାହିଁ ବରଂ ପରିବର୍ତ୍ତନ କରାଯାଉଛି । ଏହାକୁ ଏସପିଜିରୁ ବଦଳାଇ ଜେଡପ୍ଲସ ସହିତ ଏଏସଏଲ (ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା) ଏବଂ ୨୪ ଘଂଟିଆ ଆମ୍ବୁଲାନ୍ସ ବ୍ୟବସ୍ଥାରେ ପରିଣତ କରାଯାଇଛି । ଆଇନର ପୁରୁଣା ବ୍ୟବସ୍ଥା ଆଧାରରେ ବିପଦ ଆଶଙ୍କାକୁ ଦେଖି ଏହା କରାଯାଇଛି ଏବଂ ଉକ୍ତ ପରିବାରକୁ ଦେଶର ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଭଳି ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି । ତେଣୁ ଗୃହମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଗୋଟିଏ ପରିବାର ବିରୋଧରେ ରାଜନୈତିକ ପ୍ରତିଶୋଧ ଭାବନାର ପ୍ରଶ୍ନ ଉଠୁନାହିଁ । ସେମାନଙ୍କ ସୁରକ୍ଷାରେ ଏପରି ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ଯେଉଁମାନେ ସେମାନଙ୍କ କ୍ୟାରିଅରରେ ଏସପିଜି ତାଲିମ ନେଇଛନ୍ତି ।


ବିରୋଧୀଙ୍କ ପକ୍ଷରୁ ହେଉଥିବା ସମାଲୋଚନାକୁ ଖଣ୍ଡନ କରି ଶ୍ରୀ ଶାହ କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ୱାରା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ । କାରଣ ତାଙ୍କର ପ୍ରଧାନମନ୍ତ୍ରୀ କାର୍ୟ୍ୟକାଳ ସରିବା ମାତ୍ରେ ସେ ଏସପିଜି ସୁରକ୍ଷା ହରାଇବେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି, ମାତ୍ର ସେତେବେଳେ କେହି ଏହାର ପ୍ରତିବାଦ କରିନଥିଲେ ।


ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନରେ ସୁରକ୍ଷା ଭଙ୍ଗ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ଶାହ କହିଥିଲେ ଯେ ଆଗନ୍ତୁକ ଲୋକମାନେ କଂଗ୍ରେସ ଦଳର କର୍ମୀ ଥିଲେ । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଭିତରକୁ ଯିବା ଲାଗି ଅନୁମତି ଦେଇଥିଲେ । ଏହା ସତ୍ୱେ ସରକାର ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଛନ୍ତି । ତିନି ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ ଏହି ବିଲ ପୂର୍ବରୁ ନଭେମ୍ବର ୨୭, ୨୦୧୯ରେ ଲୋକସଭାରେ ଅନୁମୋଦନ ଲାଭ କରିଥିଲା ।



ସ୍ରୋତ-ପିଆବି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ରାଜନୈତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ) ଲାଗୁ କରିବ ନିର୍ବାଚନ ଆୟୋଗ • ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମାବଳୀ

‘ରାଜନୈତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ) ଲାଗୁ କରିବ ନିର୍ବାଚନ ଆୟୋଗ • ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମାବଳୀ
Read More...

ବୁଲବୁଲ ସହାୟତା ବାବଦରେ ଏସଡିଆରଏଫରୁ ଓଡ଼ିଶାକୁ ମିଳିଛି ୫୫୨ କୋଟି ଟଙ୍କା : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ବୁଲବୁଲ ସହାୟତା ବାବଦରେ ଏସଡିଆରଏଫରୁ ଓଡ଼ିଶାକୁ ମିଳିଛି ୫୫୨ କୋଟି ଟଙ୍କା : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଫୁଲବାଣି: ସାରଙ୍ଗଡ ଠାରେ ‘ସିଡିଙ୍ଗା କ୍ରିଡା ଉତ୍ସବ’ ଅନୁଷ୍ଠିତ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ