ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ସମାଜର ଶତବାର୍ଷିକୀ ସମାରୋହରେ ମାନନୀୟ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ

October 07, 2019, ଦେଶବିଦେଶ, , DSLR News Bureau


ସମାଜର ଶତବାର୍ଷିକୀ ସମାରୋହରେ ମାନନୀୟ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ
DSLR News Bureau
October 07, 2019

ଭୁବନେଶ୍ୱର : ପ୍ରମୁଖ ଓଡିଆ ଦୈନିକ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ମୁଁ ଖୁବ ଆନନ୍ଦିତ । ସର୍ବପ୍ରଥମେ, ଏହି ସ୍ମରଣୀୟ ମୁହୂର୍ତ୍ତରେ ‘ସମାଜ’ ପରିବାରକୁ ମୁଁ ହୃଦୟରୁ ଅଭିନନ୍ଦନ ଜ୍ଞାପନ କରିବାକୁ ଚାହୁଁଛି । ଶହେ ବର୍ଷ ପୂରଣ କରିବା ଯେକୌଣସି ଅନୁଷ୍ଠାନର ଜୟଯାତ୍ରାରେ ଏକ ବିଶେଷ ସଫଳତାର ମାଇଲଖୁଂଟ । ଉତ୍କୃଷ୍ଟ ସାମ୍ବାଦିକତା, ନିରପେକ୍ଷ ଖବର ପରିବେଷଣ ଏବଂ ସର୍ବୋପରି ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଆପଣଙ୍କ ଲୋକପ୍ରିୟତାର ଏହା ଏକ ପ୍ରକୃଷ୍ଠ ଉଦାହରଣ । ମୁଁ ଜାଣିବାକୁ ପାଇଛି ୧୯୧୯ ମସିହାରେ ପୁରୀ ଜିଲ୍ଲାର ସତ୍ୟବାଦୀରୁ ଏକ ସାପ୍ତାହିକ ସମ୍ବାଦପତ୍ର ଭାବେ ‘ସମାଜ’ ଜନ୍ମ ନେଇଥିଲା । ଓଡ଼ିଶାର ଲୋକମାନଙ୍କୁ ସୂଚନା ପ୍ରଦାନ କରିବା, ଶିକ୍ଷିତ କରିବା ଓ ସଶକ୍ତ କରିବା ତଥା ରାଜ୍ୟ ଓ ଦେଶର ବିକାଶରେ ବାହକ ସାଜିବାର ଲକ୍ଷ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା । ମୁଁ ଆନନ୍ଦର ସହିତ କହିବାକୁ ଚାହେଁ ଯେ ଶହେ ବର୍ଷ ପୂର୍ବେ ଏହା ଆରମ୍ଭ ହେବା ଦିନଠାରୁ ‘ସମାଜ’ ଓଡ଼ିଶାରେ ସାମ୍ବାଦିକତା, ବୌଦ୍ଧିକତା ଓ ସମାଜସେବାର ଜୀବନଧାରା ହୋଇଆସିଛି । ମୁଁ ଜାଣିଛି ଯେ ‘ସମାଜ’ ଓଡିଆ ଭାଷାରେ ସ୍ୱର୍ଣ୍ଣିମ ମାନକ ପ୍ରତିଷ୍ଠା କରିଛି ଏବଂ ଏହା ସବୁବେଳେ ରାଜ୍ୟର ଭାଷାପ୍ରେମୀଙ୍କୁ ପାଠକୀୟ ଆନନ୍ଦ ଦେଇଛି । ‘ଓଡିଆ’ ଭାଷାରେ ଦକ୍ଷତା ହାସଲ ଲାଗି ବୟସ୍କ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ‘ସମାଜ’ ପଢ଼ିବା ଲାଗି ପରାମର୍ଶ ଦେଇଥାନ୍ତି । ଜନସାଧାରଣଙ୍କ ପ୍ରତି ନିଜର ସାମ୍ବାଦିକତାକୁ ସମର୍ପି ଦେବା ଏବଂ ଗରିବ ଓ ବଂଚିତଙ୍କ ସେବାରେ ନିୟୋଜିତ ହେବା ଲାଗି ମୁଁ ‘ସମାଜ’କୁ ପ୍ରଶଂସା କରୁଛି । ମୁଁ ଏହା ମଧ୍ୟ ଜାଣି ଆନନ୍ଦିତ ଯେ ଏହି ଅନୁଷ୍ଠାନ ନିଜ ରାଜସ୍ୱର ଅଧିକାଂଶ ଭାଗ ଦୁର୍ବିପାକ ପ୍ରପିଡ଼ିତ ଜନସାଧାରଣଙ୍କ କଲ୍ୟାଣରେ ବିନିଯୋଗ କରିଥାଏ । ଏହା ବାସ୍ତବରେ ଏକ ଅନୁକରଣଯୋଗ୍ୟ କାର୍ୟ୍ୟ । ‘ସମାଜ’ର ମହାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଆଦର୍ଶ ଶିକ୍ଷକ, ନବଜାଗରଣକାରୀ କବି, ଦକ୍ଷ ଲେଖକ, ପ୍ରତିଷ୍ଠିତ ସାମ୍ବାଦିକ, ନିଃସ୍ୱାର୍ଥପର ସମାଜସେବୀ, ବାଗ୍ମୀ ବିଧାୟକ, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ବୋପରି ଗାନ୍ଧୀଙ୍କ ଆଦର୍ଶ ଓ ନୈତିକ ମୂଲ୍ୟବୋଧର ଜଣେ ମହାନ ସମର୍ଥକ ଥିଲେ । ସେ ଜଣେ ସମର୍ପିତ ଶିକ୍ଷାବିତ ଥିଲେ । ସେ ଲଗାତାର ସବୁ ନାଗରିକମାନଙ୍କୁ ନିଜ ‘ମୌଳିକ କର୍ତ୍ତବ୍ୟ’ ପୂରଣ କରିବାର ଆବଶ୍ୟକତା ବିଷୟରେ କହି ଆସୁଥିଲେ । ମୁଁ ଖୁସିର ସହ ଏହା ଉଲ୍ଲେଖ କରିବାକୁ ଚାହେଁ ଯେ ସେ ପ୍ରାଚୀନ ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ’ ଦର୍ଶନରେ ବିଶ୍ୱାସ କରୁଥିଲେ ଏବଂ ଦେଶବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଥିଲେ । ଗୋପବନ୍ଧୁ ଦାସଙ୍କ ଉପରେ ଡ. ସୁଭାଷ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ରଚିତ ପୁସ୍ତକୁ ଉନ୍ମୋଚନ କରି ଆଜି ମୁଁ ଆନନ୍ଦିତ । ମୋର ଆଶା ଯେ ଏହି ପୁସ୍ତକ ମହାପୁରୁଷଙ୍କ ଜୀବନକାହାଣୀକୁ ଯୁବପିଢ଼ିଙ୍କ ନିକଟରେ ପହଁଚାଇବ ଓ ସେମାନଙ୍କ ପାଇଁ ପ୍ରେରଣାଦାୟୀ ହେବ । ଦୂରଦ୍ରଷ୍ଟା ପ୍ରତିଷ୍ଠାତାଙ୍କ ଦ୍ୱାରା ପ୍ରତିଷ୍ଠିତ ନୈତିକ ମୂଲ୍ୟବୋଧ ଏବଂ ଆଦର୍ଶର ଦୃଢ଼ ମୂଳଦୁଆ ଉପରେ ଉତ୍କୃଷ୍ଟ ସାମ୍ବାଦିକତାର ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ଲାଗି ମୁଁ ‘ସମାଜ’କୁ ପ୍ରଶଂସା କରୁଛି । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ ହିକ୍କିଙ୍କ ଦ୍ୱାରା ଭାରତର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗେଜେଟ’ ପ୍ରକାଶ ପାଇଥିଲା । ସେବେଠାରୁ ଭାରତରେ ସମ୍ବାଦପତ୍ରର ଦୀର୍ଘ ଏବଂ ଗୌରବଶାଳୀ ଇତିହାସ ରହିଆସିଛି । ବ୍ରିଟିଶ ଶାସନରୁ ମୁକ୍ତି ପାଇବା ଲାଗି ସଂଘର୍ଷ ଆରମ୍ଭ ହେବା ସମୟରେ ସମ୍ବାଦପତ୍ର ଜନଗଣଙ୍କୁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ସ୍ୱର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ସ୍ୱାଧୀନତାର ମହାନ ଲକ୍ଷ୍ୟ ହାସଲ ପାଇଁ ସଂଘର୍ଷ କରିବା ଲାଗି ବିଭିନ୍ନ କ୍ଷେତ୍ରର ଲୋକମାନଙ୍କୁ ଏକଜୁଟ କରିବାରେ ଏହା ମହାନ ଏକୀକରଣର ସୂତ୍ରଧର ସାଜିଥିଲା । ବ୍ରିଟିଶ ଶାସନର ନାଲି ଆଖି ସମ୍ବାଦପତ୍ରକୁ ପ୍ରଭାବିତ କରିପାରିନଥିଲା । କେବଳ ଜରୁରିକାଳନୀ ପରିସ୍ଥିତିର କଳା ଦିନଗୁଡ଼ିକୁ ଛାଡ଼ିଦେଲେ, ସ୍ୱାଧୀନତା ପରଠାରୁ ଭାରତୀୟ ଗଣମାଧ୍ୟମର ଏହି ନିର୍ଭିକତା ବଜାୟ ରଖି ଆସିଛି । ଆଜି ଭାରତର ସକ୍ରିୟ ଗଣମାଧ୍ୟମ ହଜାର ହଜାର ପତ୍ରପତ୍ରିକା ଓ ସମ୍ବାଦପତ୍ର, ଶତାଧିକ ଟିଭି ଚ୍ୟାନେଲ ଓ ଶହ ଶହ ରେଡିଓ ଷ୍ଟେସନ ଦ୍ୱାରା ସମୃଦ୍ଧ ହୋଇଛି । ନିଶ୍ଚିତ ଭାବେ, ଆପଣ ସମସ୍ତଙ୍କ ନିକଟରେ ସାମାଜିକ ଗଣମାଧ୍ୟମ ରହିଛି, ଯାହା ଡିଜିଟାଲ ଯୁଗରେ ସୂଚନାର ପ୍ରମୁଖ ବାହକ ସାଜିଛି । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଗଣତନ୍ତ୍ର ହେଉଛି ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କର ସରକାର । ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଲାଗି ଏହା ସବୁ ନାଗରିକମାନଙ୍କୁ ସମାନ ସୁଯୋଗ ଦେଇଥାଏ । ଏହା ମଧ୍ୟ ନାଗରିକମାନଙ୍କୁ କେତେକ ଅବିଚ୍ଛେଦ୍ୟ ଅଧିକାର ଏବଂ ସ୍ୱାଧୀନତା ଦେଇଛି । ପ୍ରଶାସନିକ ପ୍ରକ୍ରିୟାରେ ବ୍ୟାପକ ଅଂଶଗ୍ରହଣ ରହିଲେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳ ହୋଇଥାଏ । ନାଗରିକମାନେ ଭଲ ଭାବେ ସୂଚିତ ଏବଂ ଶିକ୍ଷିତ ହୋଇଥିଲେ ଏହି ଅଂଶଗ୍ରହଣ ଅଧିକ ଫଳପ୍ରଦ ହୋଇଥାଏ । ଏକ ଗଣତାନ୍ତ୍ରିକ ସମାଜରେ ସୂଚନାର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନାଗରିକଙ୍କୁ ଅଧିକ ଉତ୍ତରଦାୟୀ କରିଥାଏ, ସେମାନେ ଅଜ୍ଞତା ଓ ଭୁଲସୂଚନା ଦ୍ୱାରା କାର୍ୟ୍ୟ କରିବା ବଦଳରେ ସୂଚିତ ହେବାର ବିକଳ୍ପ ପାଇଥାନ୍ତି । ତେଣୁ ସୂଚନାର ଏକ ବିଶ୍ୱସନୀୟ ଉତ୍ସ ଏକ ଗଣତାନ୍ତ୍ରିକ ସମାଜର ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହିଠାରେ ହିଁ ଗଣମାଧ୍ୟମର ଭୂମିକା ଓ ଗୁରୁତ୍ୱ ରହିଛି । ଗଣମାଧ୍ୟମ ଜନସାଧାରଣଙ୍କୁ ସୂଚିତ, ଶିକ୍ଷିତ ଓ ସଚେତନ କରିବା ଆବଶ୍ୟକ । ଜନମତ ସୃଷ୍ଟି କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଜନସାଧାରଣଙ୍କୁ ସଶକ୍ତ କରିବା ଉଚିତ ଏବଂ ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାରେ ସହାୟକ ହେବା ଉଚିତ । ଏହା ଜନସାଧାରଣଙ୍କ ସ୍ୱରକୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ ଏବଂ ଏହାକୁ ନୀତିନିର୍ଦ୍ଧାରକଙ୍କ ନିକଟରେ ପହଁଚାଇବା ଆବଶ୍ୟକ । ଗଣତନ୍ତ୍ରରେ ଉତ୍ତମ ପ୍ରଶାସନ ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ପ୍ରଶାସନିକ କାର୍ୟ୍ୟକଳାପ, ବିଶେଷ କରି ବିକେନ୍ଦ୍ରୀକରଣ, ଦୁର୍ନୀତି ନିବାରଣ ଓ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ନାଗରିକଙ୍କ ଭାଗିଦାରୀ କ୍ଷେତ୍ରରେ ଗଣମାଧ୍ୟମର ସହାୟତା ଫଳପ୍ରଦ ହୋଇଥାଏ । ସ୍ୱଚ୍ଛ ପ୍ରକ୍ରିୟାରେ ସମ୍ପାଦିତ ହେଉଥିବା ମୁକ୍ତ ଏବଂ ଅବାଧ ନିର୍ବାଚନ ସମୟରେ ଗଣମାଧ୍ୟମର ଆବଶ୍ୟକତା ରହିଥାଏ, ଯାହା ପ୍ରାର୍ଥୀଙ୍କୁ ନିରପେକ୍ଷ ଲୋକସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମୟୋପଯୋଗୀ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ଖବର ପରିବେଷଣର ସୁବିଧା ପ୍ରଦାନ କରିଥାଏ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ତ୍ରୁଟିବିଚ୍ୟୁତିକୁ ମଧ୍ୟ ଗଣମାଧ୍ୟମ ଜାଗ୍ରତ କରିବା ଆବଶ୍ୟକ, ଯାହା ଶେଷରେ ଅଭାବ ଓ ତ୍ରୁଟିକୁ ଦୂର କରିବାରେ ସରକାରଙ୍କୁ ସହାୟକ ହୋଇଥାଏ, ଫଳରେ ବ୍ୟବସ୍ଥା ଅଧିକ ଉତ୍ତରଦାୟୀ, ଦାୟିତ୍ୱସମ୍ପନ୍ନ ଏବଂ ନାଗରିକ କୈନ୍ଦ୍ରିକ ହୋଇଥାଏ ।ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନଥିବା ବାହନ ଭଳି । ଏକ ମୁକ୍ତ ଏବଂ ସ୍ୱଚ୍ଛ ଗଣମାଧ୍ୟମ କେବଳ ଏକ ସୁସ୍ଥ ଗଣତନ୍ତ୍ରର ଅଂଶବିଶେଷ ନୁହେଁ ବରଂ ଏକ ଅପରିହାର୍ୟ୍ୟ ଆବଶ୍ୟକତା । ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରାଯାଇଥାଏ-ଏପରି ଏକ ସ୍ତମ୍ଭ ଯାହା ଗଣତନ୍ତ୍ରକୁ ସହାୟତା କରିଥାଏ, ପରିପୃଷ୍ଟ କରିଥାଏ ଓ ସମୃଦ୍ଧ କରିଥାଏ ତଥା ଯେତେବେଳେ ଆବଶ୍ୟକ ଏଥିରେ ସଂଶୋଧନ ଆଣିବାରେ ସହାୟକ ହୋଇଥାଏ । ଯଦିଓ ଆମ ସମ୍ବିଧାନର ମୌଳିକ ଅଧିକାରରେ ଗଣମାଧ୍ୟମର ସ୍ୱାଧୀନତାକୁ ମାନ୍ୟତା ଦିଆଯାଇନାହିଁ- ତଥାପି ସାମ୍ବିଧାନିକ ସଭା ଏହା ଉପରେ ବ୍ୟାପକ ବିତର୍କ କରିବା ପରେ ଗଣମାଧ୍ୟମ ସ୍ୱାଧୀନତାକୁ ସମ୍ବିଧାନ ପ୍ରଦତ ଅଭିବ୍ୟକ୍ତିର ମୌଳିକ ଅଧିକାରର ଏକ ସମ୍ପ୍ରସାରିତ ସ୍ୱରୂପ ଭାବେ ବିବେଚନା କରିବା ଲାଗି ସହମତି ହୋଇଥିଲା । ଏହାପରେ, ସୁପ୍ରିମକୋର୍ଟଙ୍କ କେତେକ ଆଦେଶ ଏହି ମାନ୍ୟତାକୁ ବୈଧତା ପ୍ରଦାନ କରିଥିଲା । ମହାତ୍ମା ଗାନ୍ଧୀ ଏକଦା କହିଥିଲେ, “ଗଣମାଧ୍ୟମ ସ୍ୱାଧୀନତା ଏକ ମୂଲ୍ୟବାନ ସ୍ୱତନ୍ତ୍ରାଧିକାର ଯାହାକୁ କୌଣସି ରାଷ୍ଟ୍ର ଅଣଦେଖା କରିପାରିବେ ନାହିଁ ।” ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଗଣମାଧ୍ୟମ ଏକ ଜାତୀୟ ସମ୍ପତ୍ତି ଯାହାକୁ ସାମ୍ବାଦିକମାନେ ଜନସାଧାରଣଙ୍କ ବିଶ୍ୱାସରେ ଉପଯୋଗ କରିଥାନ୍ତି । ମହାତ୍ମା ଗାନ୍ଧୀ ଥରେ କହିଥିଲେ ଯେ ସାମ୍ବାଦିକଙ୍କ କର୍ତ୍ତବ୍ୟ ହେଉଛି ଦେଶର ବାସ୍ତବ ଜନମତକୁ ସାହସିକତା ସହିତ ସ୍ୱର ପ୍ରଦାନ କରିବା । ଏହି ଗୁରୁଦାୟିତ୍ୱକୁ ଧ୍ୟାନରେ ରଖି ଗଣମାଧ୍ୟମ ସର୍ବଦା ସଚ୍ଚୋଟ ଓ ସତ୍ୟବାଦୀ ରହିବା ଆବଶ୍ୟକ । ଜନସାଧାରଣଙ୍କ କଲ୍ୟାଣ ଓ ଦେଶର ପ୍ରଗତିକୁ ନିଜ କାର୍ୟ୍ୟପ୍ରକ୍ରିୟାର କେନ୍ଦ୍ରରେ ରଖି ଅଧିକ ସଂଯମ ଓ ଉତ୍ତରଦାୟିତ୍ୱର ସହ କାର୍ୟ୍ୟ କରିବା ଉଚିତ । ସାମ୍ବାଦିକତା ଏକ ମିଶନ । ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ ଯେ ସାମ୍ବାଦିକତାର ଲକ୍ଷ୍ୟ କେବଳ ସାମାଜିକ ସେବା ହେବା ଆବଶ୍ୟକ । ଟିଆରପି, ପ୍ରସାରଣ ସଂଖ୍ୟା ଏବଂ ବଟମ ଲାଇନ, ଯଦିଓ ଗୁରୁତ୍ୱପୂର୍ଣ୍ଣ, ଏହା ଆପଣଙ୍କ ମାର୍ଗରେ ଆଧିପତ୍ୟ ବିସ୍ତାର କରିବା ଅନୁଚିତ । ଗଣମାଧ୍ୟମ ଚାଂଚଲ୍ୟକର ଖବର ପ୍ରସାରଣର ସ୍ୱଭାବକୁ ତ୍ୟାଗ କରି ସାବଧାନତାପୂର୍ବକ ଲଗାତାର ଭାବେ ତଥ୍ୟ ଆଧାରିତ ଖବର ପରିବେଷଣ କରିବା ଉଚିତ ଏବଂ ଖବର ଓ ବିଚାରର ମିଶ୍ରଣ ଠାରୁ ଦୂରେଇ ରହିବା ଆବଶ୍ୟକ । ବଦ୍ଧମୂଳକ ଧାରଣା ଠାରୁ ଦୂରରେ ରହି ଯୁବକ, ମହିଳା, କୃଷକ ଓ ଉଦ୍ୟୋଗୀଙ୍କ ଆଶାଆକାଂକ୍ଷାକୁ ସ୍ୱର ଦେବା ଉଚିତ । ଗଣମାଧ୍ୟମ ସମାଜର ନୈତିକ ମାର୍ଗଦର୍ଶକ ଏବଂ ବିବେକ ସାଜିବା ସହିତ ସବୁ ସାମାଜିକ କଳୁଷତାକୁ ଦୂର କରିବା ଦିଗରେ ସକ୍ରିୟ ଭାବେ କାର୍ୟ୍ୟ କରିବା ଉଚିତ । ଆପଣମାନେ ସ୍ୱରହୀନ ଲୋକଙ୍କ ସ୍ୱର ଓ ଅସହାୟଙ୍କ ସହାୟକ ହେବା ହେବା ଉଚିତ । ଗଣମାଧ୍ୟମ ପରିବର୍ତ୍ତନର ବାହକ ସାଜିବା ଉଚିତ । ସକାରାତ୍ମକ କାହାଣୀ ଏବଂ ଶ୍ରେଷ୍ଠ ପ୍ରଚଳନକୁ ଆଗକୁ ଆଣି ସବୁଆଡ଼େ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଦାରିଦ୍ର୍ୟ ଠାରୁ ଆରମ୍ଭ କରି ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଆମ ସମୟର ଜଟିଳ ସମସ୍ୟା ସମାଧାନ କରିବା ଦିଗରେ ଗଣମାଧ୍ୟମ ଗଠନମୂଳକ ଭୂମିକା ନିର୍ବାହ କରିବା ଉଚିତ । ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଭାରତୀୟ ଗଣମାଧ୍ୟମର ପ୍ରଶଂସନୀୟ ଭୂମିକାକୁ ବିଶ୍ୱ ଦେଖିସାରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଭାରତକୁ ଖୋଲା ଶୌଚ ମୁକ୍ତ ଭାବେ ଘୋଷଣା କରିଛନ୍ତି । ଗଣମାଧ୍ୟମ ଏହି ଉପଲବ୍ଧିର ଅଧିକାଂଶ ଶ୍ରେୟ ପାଇବାକୁ ହକଦାର । ‘ଫିଟ ଇଣ୍ଡିଆ’ ଭଳି ଏପରି କେତେକ ଅଭିଯାନକୁ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଗଣମାଧ୍ୟମ ଗ୍ରହଣ କରିବା ଆବଶ୍ୟକ ଓ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ଉଚିତ । ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଭାଷାର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମଧ୍ୟ ଗଣମାଧ୍ୟମ ଦାୟିତ୍ୱ ନିର୍ବାହ କରିବା ଉଚିତ । ଆମେ ଦ୍ରୁତଗତିରେ ପ୍ରସାର ଲାଭ କରୁଥିବା ସାମାଜିକ ଗଣମାଧ୍ୟମର ଯୁଗରେ ରହୁଛୁ, ଏଥିରୁ ହିଁ ମିଛ ଖବର ପ୍ରସାରିତ ହୋଇଥାଏ । ମିଛ ଖବରର ଏହି ବୃଦ୍ଧି ପାଉଥିବା ବିପଦ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛି । ଏଭଳି ପରିସ୍ଥିତିରେ, ଆପଣ ଖବରର ସତ୍ୟତା ସାମ୍ନାକୁ ଆଣି ପ୍ରଭାବୀ ଢଙ୍ଗରେ ମିଛ ଖବରର ମୁକାବିଲା ଓ ପର୍ଦ୍ଦାଫାଶ କରିପାରିବେ । ଏପରି ମିଛ ଖବର ଉପରେ ଅଙ୍କୁଶ ଲଗାଇବା ପାଇଁ ଆପଣମାନେ ସୃଜନଶୀଳ ସମାଧାନ ଖୋଜିବା ଆବଶ୍ୟକ । ଆପଣମାନେ ସମାନ ଉତ୍ସାହର ସହ ଅର୍ଥ ବଦଳରେ ଖବର ପରିବେଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରୟାସ କରିବା ଉଚିତ । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଯଦିଓ ଆମେ ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମର ଯୁଗରେ ରହୁଛୁ, ତଥାପି ଭାରତରେ ଏବେ ସୁଦ୍ଧା ଛାପା ଗଣମାଧ୍ୟମର ଗୁରୁତ୍ୱ ରହିଛି । ଏକ ଆକଳନ ଅନୁଯାୟୀ, ୨୦୧୮ରେ ଛାପା ଗଣମାଧ୍ୟମର ରାଜସ୍ୱ ୫.୬% ବୃଦ୍ଧି ପାଇଛି । ପରବର୍ତ୍ତୀ ବର୍ଷ ଅଭିବୃଦ୍ଧିର ହାର ମଧ୍ୟ ସକାରାତ୍ମକ ରହିଛି । ମୋର ଆଶା ଯେ ଭାରତରେ ଅଧିକରୁ ଅଧିକ ଆଂଚଳିକ ସମ୍ବାଦପତ୍ର ପ୍ରକାଶ ପାଇବ । ଏଗୁଡ଼ିକ ଆଂଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ସହିତ ଗ୍ରାମାଂଚଳ ସମୃଦ୍ଧିର ବାହକ ହେବେ । ଆଂଚଳିକ ସମ୍ବାଦପତ୍ରଗୁଡ଼ିକ ସ୍ଥାନୀୟ ଆଶାଆକାଂକ୍ଷାକୁ ପ୍ରତିଫଳିତ କରିବା ସହିତ ଜନସାଧାରଣଙ୍କ ଅଧିକ ନିକଟତର ହୋଇଥାନ୍ତି । ବିବେକପୂର୍ଣ୍ଣ, ଦ୍ରୁତ ଏବଂ ସତ୍ୟ ଖବର ପରିବେଷଣ ମାଧ୍ୟମରେ ଆପଣମାନେ ବାସ୍ତବରେ ଭାରତର ଗ୍ରାମୀଣ ପରିଦୃଶ୍ୟକୁ ବଦଳାଇପାରିବେ । ସ୍ଥାନୀୟ ସମୁଦାୟର ସକାରାତ୍ମକ କାହାଣୀଗୁଡ଼ିକୁ ଅଧିକ ସଂଖ୍ୟକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ଗୋଷ୍ଠୀସ୍ତରରେ ଆପଣମାନେ ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ସ୍ଥାୟୀ କୃଷି ଏବଂ ନବୋନ୍ମେଷ ଉପରେ ସକାରାତ୍ମକ କାହାଣୀ ପରିବେଷଣ କରିପାରିବେ । ଆପଣଙ୍କ ପ୍ରୟାସ ଜନସାଧାରଣଙ୍କ ଆତ୍ମବିଶ୍ୱାସ, ଗୋଷ୍ଠୀ ସଚେତନତା ବୃଦ୍ଧି କରିବ ଏବଂ ସମାବେଶୀ ଓ ନିରନ୍ତର ବିକାଶକୁ ଆଗେଇ ନେବ । ‘ସମାଜ’ ଓଡ଼ିଶାର ସମ୍ପଦ ଏବଂ ଆଗାମୀ ଦିଗରେ ଏହା ଅଧିକ ଉଚ୍ଚତର ସଫଳତା ହାସଲ କରିବ ବୋଲି ମୋର ବିଶ୍ୱାସ । ଶତବାର୍ଷିକୀ ସମାରୋହ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଭବିଷ୍ୟତର ସଫଳତା ପାଇଁ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହେଁ । ଧନ୍ୟବାଦ! ଜୟ ହିନ୍ଦ ।


(ସ୍ରୋତ-ପିଆବି)




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ

ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ
Read More...

ବିଶ୍ୱ କବି ସମ୍ମିଳନୀରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁଙ୍କ ଅଭିଭାଷଣ

ବିଶ୍ୱ କବି ସମ୍ମିଳନୀରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁଙ୍କ ଅଭିଭାଷଣ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Dilution of Article 370 will strengthen unity and integrity of the country: Vice President
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ