ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ବିଶ୍ୱ କବି ସମ୍ମିଳନୀରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁଙ୍କ ଅଭିଭାଷଣ

October 07, 2019, (National) ଜାତୀୟ , , DSLR News Bureau


ବିଶ୍ୱ କବି ସମ୍ମିଳନୀରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁଙ୍କ ଅଭିଭାଷଣ
DSLR News Bureau
October 07, 2019

ଭୁବନେଶ୍ୱର : ବିଶ୍ୱ କବି ସମ୍ମିଳନୀର ଉଦଯାପନୀ ସମାରୋହ ପାଇଁ ସାରା ଭାରତରୁ ଏବଂ ବିଶ୍ୱର ବିଭିନ୍ନ ଦେଶରୁ ଏଠାରେ ଏକତ୍ରିତ ହୋଇଥିବା ପ୍ରତିଭା ସମ୍ପନ୍ନ ଓ ଉତ୍ସାହୀ କବିମାନଙ୍କ ଗହଣରେ ନିଜକୁ ପାଇ ମୁଁ ଆନନ୍ଦିତ । କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (କିଟ) ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ)କୁ ଆସି ମୁଁ ଆନନ୍ଦିତ । ଦେଶ ତଥା ବିଦେଶର ୨୭ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏହି ଶିକ୍ଷାନୁଷ୍ଠାନର ଗୌରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉତ୍କର୍ଷ ପ୍ରତି ପୂର୍ଣ୍ଣ ସମର୍ପଣ ଲାଗି ଏହି ଶିକ୍ଷାନୁଷ୍ଠାନ ବିଭିନ୍ନ ଅନ୍ତର୍ଜାତୀୟ ତଥା ଜାତୀୟ ପୁରସ୍କାର ଓ ସମ୍ମାନ ପାଇଥିବା ଜାଣି ମୁଁ ଆନନ୍ଦିତ । ଜନଜାତି ସମୁଦାୟର ପିଲାମାନଙ୍କୁ ଶିକ୍ଷା ଦାନ ଲାଗି ଏହି ଶିକ୍ଷାନୁଷ୍ଠାନର ପ୍ରୟାସ ମଧ୍ୟ ବାସ୍ତବରେ ଉଲ୍ଲେଖନୀୟ । ସମସ୍ତଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରି ‘ଉତ୍କର୍ଷ ମାନ୍ୟତା’ ପାଇଥିବା କିଟକୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ ମଧ୍ୟ ଏହି ଅବସରରେ କିଟର ଉତ୍ସାହୀ ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଏବଂ ପ୍ରଶଂସା ଜଣାଇବାକୁ ଚାହେଁ । ଲକ୍ଷ ଲକ୍ଷ ଆଦିବାସୀ ଲୋକଙ୍କ ଜୀବନରେ ସଂସ୍କାର ଓ ପରିବର୍ତ୍ତନ ଆଣିବା ଲାଗି ତାଙ୍କର ନିରନ୍ତର ପ୍ରୟାସ ବାସ୍ତବରେ ପ୍ରଶଂସନୀୟ । ଶାନ୍ତି ଓ ଭ୍ରାତୃତ୍ୱ ଭାବର ପ୍ରୋତ୍ସାହନ ଲାଗି କବିତାକୁ ଶ୍ରେଷ୍ଠ ମାଧ୍ୟମ ଭାବେ ପରିକଳ୍ପନା କରିଥିବାରୁ ତାଙ୍କୁ ମୁଁ ପ୍ରଶଂସା କରିବାକୁ ଚାହେଁ । ତାଙ୍କର ଏହି ପରିକଳ୍ପନା କାରଣରୁ ଆଜି ଆମେ ସମସ୍ତେ ଏଠାରେ ବିଚାର, ଶବ୍ଦ, ଭାଷା, ଛନ୍ଦ ଓ ଅର୍ଥର ଉତ୍ସବ ପାଳିବା ଲାଗି ଏକାଠି ହୋଇଛୁ । ବିଶ୍ୱ କବି ସମ୍ମିଳନୀ ଚଳିତ ବର୍ଷ ଭାରତର ଏହି ସୁନ୍ଦର ଏବଂ ଐତିହାସିକ ରାଜ୍ୟ ଓଡ଼ିଶାରେ ଆୟୋଜନ କରାଯିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ । ଏହି ସମ୍ମିଳନୀର ବିଷୟବସ୍ତୁ “କବିତା ମାଧ୍ୟମରେ ସହୃଦୟତା” ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ । ମୋର ବିଶ୍ୱାସ ଯେ କରୁଣା ଆମ ସମସ୍ତଙ୍କର ଜନ୍ମଜାତ ପ୍ରବୃତି । ଏହାକୁ ଆମେ ହୃଦୟଙ୍ଗମ କରିବା ଉଚିତ ଏବଂ ଯେ ପର୍ୟ୍ୟନ୍ତ ଏହା ଆମ ଅଭ୍ୟାସ ଓ କାର୍ୟ୍ୟରେ ପରିଣତ ନହୋଇଛି ଏହାକୁ ସଚେତନ ଭାବେ ଅଭ୍ୟାସ କରିବା ଉଚିତ । ଆମେ କରୁଣା, ଦୟା ଏବଂ ସକାରାତ୍ମକତାର ପ୍ରଦର୍ଶନ କରିବା ଆବଶ୍ୟକ । ସହୃଦୟତା କବିତାର କେନ୍ଦ୍ରବିନ୍ଦୁ ।ପ୍ରଥମ ଶ୍ଳୋକ “ମା ନିଶାଦ”ର ଉଚ୍ଚାରଣ ସହିତ ଆଦି କାବ୍ୟ ରାମାୟଣ ଆରମ୍ଭ ହୋଇଛି, ଏଥିରେ ମହର୍ଷି ବାଲ୍ମିକୀ ପକ୍ଷୀର ଜୀବନ ରକ୍ଷା ଲାଗି ଶିକାରୀକୁ ନିବେଦନ କରୁଛନ୍ତି । ମୂଲ୍ୟବାନ ଜୀବନ ହାନିକୁ ଦେଖି ତାଙ୍କର ‘ଶୋକ’ରୁ ହିଁ ‘ଶ୍ଳୋକ’ ବା ‘କବିତା’ର ଜନ୍ମ ହୋଇଛି । କରୁଣାରୁ ହିଁ କରୁଣା ଉତ୍ପନ୍ନ ହୋଇଥାଏ । ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର, ଯେତେବେଳେ କବିତାର ଶକ୍ତିଶାଳୀ ମାଧ୍ୟମରେ ପ୍ରଚାରିତ ହୋଇଥାଏ, ଏଥିରେ ଦୁନିଆକୁ ବଦଳାଇ ଦେବାର ସାମର୍ଥ୍ୟ ଥାଏ । ସାରା ବିଶ୍ୱରୁ ଓଡ଼ିଶାକୁ ଆସିଥିବା କବିମାନଙ୍କୁ ମୁଁ ସ୍ୱାଗତ କରୁଛି । ମୁଁ ନିଶ୍ଚିତ ଯେ ଆପଣମାନେ ଏହି ସମ୍ମିଳନୀ ଏବଂ ଭାରତରୁ ସୁନ୍ଦର ଅନୁଭୂତି ନେଇ ଫେରିବେ । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମାନବୀୟ ଭାବନାର ସବୁଠୁ ଚମତ୍କାର ଅଭିବ୍ୟକ୍ତି ହେଉଛି କବିତା । ଏହା ଗଭୀର ଅନ୍ତଦୃଷ୍ଟିକୁ ବ୍ୟକ୍ତ କରିଥାଏ, ଭାବନାକୁ ବିସ୍ତାରିତ କରିଥାଏ ତଥା ମାନବୀୟ ଅଭିଜ୍ଞତାକୁ ଉଚ୍ଚସ୍ତରର ଚେତନା ଆଡ଼କୁ ନେଇଯାଇଥାଏ । ତେବେ ମାନବୀୟ ଭାବନାର ଗଭୀର ରସାୟନ ଉପରେ ଏହାର ପ୍ରଭାବକୁ ବିବେଚନା କରିବା ଗୁରୁତ୍ୱପୂର୍ଣ୍ଣ । ଆମେ କିଭଳି ଗ୍ରହଣ କରିଥାଉ, କିଭଳି ପ୍ରତିକ୍ରିୟା ପ୍ରକାଶ କରିଥାଉ ଏବଂ କିଭଳି ଆଚରଣ କରିଥାଉ-ଏସବୁ ସାହିତ୍ୟ ଏବଂ ଲଳିତ କଳା ଦ୍ୱାରା ବ୍ୟାପକ ଭାବେ ବ୍ୟକ୍ତ ହୋଇଥାଏ । ସାହିତ୍ୟ ମଂଚରେ କବିତାର ଏକ ବିଶେଷ ପ୍ରଭାବ ରହିଛି । କବିତା କେବଳ ଏକ ରଚନା ନୁହେଁ, ଏହା ଏକ ସୁନ୍ଦର ଅଭିବ୍ୟକ୍ତି । କବିମାନେ କେବଳ ସାଧାରଣ ଶବ୍ଦଗୁଡ଼ିକ ମାଧ୍ୟମରେ ନିଜକୁ ବ୍ୟକ୍ତ କରିନଥା’ନ୍ତି ବରଂ ସେମାନେ ନିଜ ଶବ୍ଦ ଜରିଆରେ ଚିତ୍ର ଆଙ୍କିଥାନ୍ତି । ସେମାନେ ପଦ, ଛନ୍ଦ ଓ ମାଧୁର୍ୟ୍ୟ ମାଧ୍ୟମରେ ଜୀବନ ସଂଚାର କରିଥାନ୍ତି । କବିତା ଗଭୀର ଭାବନାକୁ ବ୍ୟକ୍ତ କରିଥାଏ, ଚମତ୍କାର ଚିତ୍ର ଓ ଲାଳିତ୍ୟ ସୃଷ୍ଟି କରିଥାଏ ଏବଂ ସତ୍ୟକୁ ସୁନ୍ଦର ଭାବେ ପରିବେଷଣ କରିଥାଏ । କବିତା ସହିତ ଭାରତର ସମ୍ପର୍କ ଏହାର ସଭ୍ୟତା ଭଳି ପ୍ରାଚୀନ । ପ୍ରାଚୀନ ଭାରତରେ କବିତା ଅଧିକ ସମୃଦ୍ଧ ହୋଇଥିଲା । ରାମାୟଣ ଓ ମହାଭାରତ ଭଳି ମହାନ ଭାରତୀୟ ମହାକାବ୍ୟକୁ ବର୍ତ୍ତମାନ ସୁଦ୍ଧା ରଚିତ ହୋଇଥିବା କବିତା ମଧ୍ୟରୁ ସବୁଠୁ ଶ୍ରେଷ୍ଠ ଉଦାହରଣ ଭାବେ ବିବେଚନା କରାଯାଇଥାଏ । ବିଷୟବସ୍ତୁ, ଅସାଧାରଣ ଉଚ୍ଚାଙ୍ଗ ସାହିତ୍ୟ ତଥା ଏଥିରେ ଥିବା ଗଭୀର ସନ୍ଦେଶ ପାଇଁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଏସବୁ କାବ୍ୟର ସ୍ୱତନ୍ତ୍ର ଖ୍ୟାତି ରହିଛି । ଏସବୁ ମହାକାବ୍ୟ ଭାରତୀୟ ପରମ୍ପରାର ଗନ୍ତାଘର ଏବଂ ନୈତିକତା, ଧର୍ମ, ରାଜନୀତି ଓ ଆଦର୍ଶର ମହାନ ବିଶ୍ୱକୋଷ ।ଭାରତର ଏକ ସୁଦୀର୍ଘ ଚମକ୍ରାର କାବ୍ୟ ପରମ୍ପରା ରହିଛି ଏବଂ ଏ ମାଟିରେ କାଳିଦାସ, ମୀରା ବାଇ, ତୁଲସୀ ଦାସ, ଅମିର ଖୁସ୍ରୁ, କବିର ଦାସ, ସରୋଜିନୀ ନାଇଡୁ, ସୁବ୍ରମଣ୍ୟ ଭାରତୀ, ମିର୍ଜା ଗାଲିବ, ରବୀନ୍ଦ୍ରନାଥ ଠାକୁରଙ୍କ ଭଳି ମହାନ କବିମାନେ ଜନ୍ମ ନେଇଛନ୍ତି ଯେଉଁମାନେ ସେମାନଙ୍କ କାବ୍ୟକୃତି ବଳରେ ସମସ୍ତଙ୍କୁ ବିମୁଗ୍ଧ କରିପାରିଛନ୍ତି । ଭାରତ ସମ୍ପର୍କରେ ମାର୍କ ଟ୍ୱାଇନଙ୍କ ବକ୍ତବ୍ୟକୁ ମୁଁ ମନେ ପକାଇଦେବାକୁ ଚାହେଁ- “ଭାରତ ମାନବ ସଭ୍ୟତାର ଉତ୍ପତିସ୍ଥଳ, ଭାଷାର ଜନ୍ମସ୍ଥାନ, ଇତିହାସର ମାତା, ମହାଗାଥାର ମାତାମହୀ, ପରମ୍ପରାର ପ୍ରମାତାମହୀ ।” ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ବିଶ୍ୱାସ ଯେ ଏକ ସଚେତନ ଏବଂ ସୁସ୍ଥ ସମାଜ ଗଠନ ଲାଗି କଳା ଓ ସଂସ୍କୃତିର ପ୍ରୋତ୍ସାହନ ଜରୁରି । କଳା ସମାଜରେ ସୃଜନଶୀଳତାକୁ ପରିପୃଷ୍ଟ କରିଥାଏ । ସୃଜନାତ୍ମକ ସ୍ୱର ନଥିଲେ ସମାଜ ନିଶ୍ଚଳ ହୋଇଯାଇଥାଏ ।ଜୀବବିଜ୍ଞାନୀମାନଙ୍କ ଯୁକ୍ତି ହେଉଛି ମାନବୀୟ କ୍ରମବିକାଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସୃଜନଶୀଳତାର ବିକାଶ । ସୃଜନଶୀଳ ବ୍ୟକ୍ତିଙ୍କ ବିନା ସମାଜର ପ୍ରଗତି ସମ୍ଭବ ନୁହେଁ । କଳାକାରମାନେ ଜୀବନକୁ ଅଧିକ ଜୀବନ୍ତ କରିଥାନ୍ତି । କିଛି କଳାକାର ଆମ ଜୀବନରେ ପରିବର୍ତ୍ତନ ଆଣିଥାନ୍ତି, ସେମାନେ ଆମ ଦୃଷ୍ଟିକୋଣକୁ ବଦଳାଇ ଦେଇଥାନ୍ତି । କଳାକାରମାନେ ଅନେକ ସମୟରେ ସମାଜର ବିବେକକୁ ସୁରକ୍ଷା ଦେଇଥାନ୍ତି । ବିକୃତ ଓ ଅଯୌକ୍ତିକ ଚିନ୍ତାଧାରା ଓ କାର୍ୟ୍ୟକଳାପ ପ୍ରତି ସେମାନେ ନିରନ୍ତର ପ୍ରଶ୍ନ କରିଥାନ୍ତି ଏବଂ ସମାଜରେ ସକାରାତ୍ମକ ମୂଲ୍ୟବୋଧ ଜାଗ୍ରତ କରିବାରେ ସହାୟକ ହୋଇଥାନ୍ତି । ସାଂସ୍କୃତିକ ସମ୍ପର୍କକୁ ପ୍ରସାରିତ କରି ସେମାନେ ଆମ ହୃଦୟକୁ ଯୋଡ଼ିଥାନ୍ତି । ଏହା ଅବ୍ୟକ୍ତ ମାନବୀୟ ବିଶେଷତ୍ୱକୁ ଉଜାଗର କରିଥାଏ । ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ି ମଧ୍ୟରେ ମୂଲ୍ୟବୋଧ ଓ ଜ୍ଞାନର ହସ୍ତାନ୍ତରଣରେ କବିତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ୟ୍ୟ କରିଥାଏ । ସଂଗୀତ ଓ କବିତାକୁ ଉପଯୋଗ କରି ନୈତିକତା ଏବଂ ମୂଲ୍ୟବୋଧର ଜ୍ଞାନ ଓ ଶିକ୍ଷା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହୋଇ ଆସୁଛି । ଜ୍ଞାନ ଏପରିକି ବୈଜ୍ଞାନିକ ଜ୍ଞାନ ସଂଚାରଣ ଲାଗି ଭାରତୀୟ ପରମ୍ପରା କବିତା ଉପରେ ନିର୍ଭର କରି ଆସିଛି । ସର୍ବୋପରି, ମାନସିକତା, ଚିନ୍ତାଧାରା ଓ ସାମାଜିକ ମାନ୍ୟତାକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ କବିତା ପାଖରେ ରହିଛି । ସହାନୁଭୂତିଶୀଳ ବିଶ୍ୱ ପାଇଁ କବିତା ସବୁଠୁ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ । ପ୍ରିୟ ଭାଇ ଓ ଭଉଣୀମାନେ, ଏତେ ସଂଖ୍ୟକ କବିଙ୍କ ଗହଣରେ ଥାଇ ମୁଁ ଆନନ୍ଦିତ । ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ନିକଟରେ ପ୍ରଭାବ ସୃଷ୍ଟିକାରୀ ଏବଂ ମତ ସୃଷ୍ଟିକାରୀ ସାମର୍ଥ୍ୟ ରହିଛି । ବିଚାର, ଭାବନା ଓ ଦୃଷ୍ଟିକୋଣକୁ ରୂପ ଦେବାର ଅଭିନବ ସମ୍ଭାବନା ଆପଣମାନଙ୍କ ନିକଟରେ ରହିଛି । ମୋର ବିଶ୍ୱାସ ଯେ ଆପଣମାନେ ଏହି ମହାନ ଶକ୍ତିକୁ ଏକ ଉନ୍ନତ ବିଶ୍ୱ ନିର୍ମାଣରେ ଉପଯୋଗ କରିବେ । କବିତା ଶାନ୍ତିର ପ୍ରଚାର କରିବା ଉଚିତ, ସାର୍ବଜନୀନ ଭ୍ରାତୃତ୍ୱଭାବ, ସାମାଜିକ ସୌହାର୍ଦ୍ଦ୍ୟ ଓ ଶାନ୍ତି ପ୍ରତି ଲୋକମାନଙ୍କୁ ଅନୁପ୍ରାଣିତ କରିବା ଉଚିତ । ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ଶକ୍ତିଶାଳୀ ଉତ୍ପେରକ ଭାବେ କାର୍ୟ୍ୟ କରିବାର ସାମର୍ଥ୍ୟ କବିତା ନିକଟରେ ରହିଛି । ବିଦ୍ୟାଳୟରେ କବିତା ଆବୃତି ଆୟୋଜନ କରିବା ଏବଂ ଏହାକୁ ପାଠ୍ୟକ୍ରମର ଏକ ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ସ୍ଥାନ ଦେବା ଲାଗି ମୁଁ ଅନୁରୋଧ କରୁଛି । ସାହିତ୍ୟ, କଳା ଓ ସମାଜ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ମୁଁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ କରୁଛି । ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକଙ୍କ ଭଳି ଆମର କବି ଓ ଲେଖକ ଏବଂ କଳାକାର ଓ ସଙ୍ଗୀତଜ୍ଞଙ୍କ ଆବଶ୍ୟକତା ରହିଛି । ମୋ ହୃଦୟର ଅତି ନିକଟତର ଉଦ୍ଦେଶ୍ୟ, ଭାଷା ସଂରକ୍ଷଣ ଏବଂ ପ୍ରୋତ୍ସାହନ ଲାଗି ସାହିତ୍ୟର ପ୍ରୋତ୍ସାହନ ଏକ ପ୍ରଭାବଶାଳୀ ପଦ୍ଧତି । ଦୈନନ୍ଦିନ ଜୀବନରେ ଭାଷାର ବ୍ୟାପକ ଉପଯୋଗ ଦ୍ୱାରା ହିଁ ଏହାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ସମ୍ଭବ । ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ସେମାନଙ୍କ ମାତୃଭାଷାରେ କବିତା, ଗଳ୍ପ, ଉପନ୍ୟାସ ଓ ନାଟକ ଲେଖିବା ନିମନ୍ତେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ମୋର ଆଶା ଯେ ବିଶ୍ୱ ସମ୍ମୁଖରେ ଆପଣଙ୍କ କାବ୍ୟକୃତିକୁ ଉପସ୍ଥାପନ କରିବା ଲାଗି ବିଶ୍ୱ କବି ସମ୍ମିଳନୀ ଭଳି ସମାରୋହ ମଂଚ ପ୍ରଦାନ କରିବାରେ ସହାୟକ ହେବ । ସେହିପରି, ଏହି କାର୍ୟ୍ୟକ୍ରମ ଜରିଆରେ ନବାଗତ କବିମାନେ ଅନ୍ୟ କବିମାନଙ୍କ ଠାରୁ ପ୍ରେରଣା ଲାଭ କରିପାରିବେ । ବିଶିଷ୍ଟ ଭାରତୀୟ କବି ମମ୍ମଟଙ୍କୁ ଯେତେବେଳେ ପଚରାଗଲା ଯେ ସେ କାହିଁକି କବିତା ଲେଖନ୍ତି, ତାଙ୍କର ଏହି ଉତ୍ତର ସହ ମୁଁ ମୋର ଅଭିଭାଷଣ ଶେଷ କରିବାକୁ ଚାହୁଁଛି । ସେ କହିଥିଲେ, “ମୁଁ ନାଁ କମାଇବା ଲାଗି ଓ ପ୍ରସିଦ୍ଧ ହେବା ଲାଗି ଲେଖୁଛି । ମୁଁ ମୋ ଜୀବିକା ନିର୍ବାହ ପାଇଁ ଲେଖୁଛି । କିନ୍ତୁ, ଏସବୁର ଊଦ୍ଧ୍ୱର୍ରେ, ବିଶ୍ୱରୁ ନକାରାତ୍ମକତା ଓ ମାନବ ସମାଜ ପାଇଁ ଅମଙ୍ଗଳକାରୀ ଚିନ୍ତାଧାରାକୁ ବଦଳାଇବା ପାଇଁ ମୁଁ ଲେଖୁଛି ।” ମୋର ଆଶା ଯେ ଆପଣମାନେ କବିତାର ରେଶମୀ ସୂତାକୁ ଗୁନ୍ଥିବା ଦ୍ୱାରା ସାରା ବିଶ୍ୱର ବିଭିନ୍ନ ବର୍ଗର ଲୋକଙ୍କୁ ରୋମାଂଚିତ ଓ ଜାଗ୍ରତ କରିବେ । ଏହା ସାମଗ୍ରିକ ଭାବେ ଜନକଲ୍ୟାଣ ଲାଗି ପ୍ରେରଣାର ଅନ୍ତର୍ନିହିତ, ଅଦୃଶ୍ୟ ତଥା ନିରନ୍ତର ଉତ୍ସ ହୋଇପାରିବ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ଧନ୍ୟବାଦ! ଜୟ ହିନ୍ଦ!


(ସ୍ରୋତ-ପିଆବି)




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମାଜର ଶତବାର୍ଷିକୀ ସମାରୋହରେ ମାନନୀୟ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ

ସମାଜର ଶତବାର୍ଷିକୀ ସମାରୋହରେ ମାନନୀୟ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ
Read More...

FM to inaugurate National e-Assessment Centre of Income Tax Department Tomorrow

FM to inaugurate National e-Assessment Centre of Income Tax Department Tomorrow
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :୩ ଟି ରାଜ୍ୟରେ କଂଗ୍ରେସର ବିପୁଳ ବିଜୟରେ , ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳନ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ